ପୁଲିସକୁ ପେଟ ଅଡୁଆ, ନକମିଲେ ଚାକିରି ଯିବ!

Spread the love

ଭୁବନେଶ୍ୱର : ପୁଲିସ କର୍ମଚାରୀଙ୍କ ଲାଗି ପେଟ ଏବେ ଅଡୁଆ ହୋଇଛି । ଏଣିକି ପେଟ ନକମାଇଲେ ଚାକିରୀ ଚାଲିଯିବାର ଭୟ ସୃଷ୍ଟି ହୋଇଛି । ଫଳରେ ପୁଲିସ ମହଲରେ ଏବେ ‘ପେଟୁ’ କର୍ମଚାରୀମାନେ ଚିନ୍ତାରେ ପଡିଯାଇଛନ୍ତି । ତେବେ ସମସ୍ତ ଅଫିସର ଓ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି ।


ପୁଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ କହିଛନ୍ତି, କରୋନା ମହାମାରୀ ସାରା ବିଶ୍ୱରେ କାୟାବିସ୍ତାର କରିବା ସହ ମୌଳିକ ଭାବେ ଜନଜୀବନକୁ ପ୍ରଭାବିତ କରିଛି । ଲୋକଙ୍କ ସତର୍କତା ଯୋଗୁଁ ହୁଏତ କିଛି ମାସ ଭିତରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିପାରେ । ହେଲେ ପୃଥିବୀ ପୁଣି କୋଭିଡ୍ର ପୂର୍ବ ସ୍ଥିତିକୁ ଫେରିପାରିବ ନାହିଁ । ଏଥିପାଇଁ ବର୍ଲମାନର ସ୍ଥିତିରୁ ଶିକ୍ଷାଲାଭ କରି ସମସ୍ତଙ୍କୁ ଜୀବନଶୈଳୀରେ ପରିବର୍ତନ ଆଣି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ହେବ । ଏହି ପରିପ୍ରେକ୍ଷୀରେ ପୁଲିସ କର୍ମଚାରୀ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବା ସହ ଫିଟ୍ ରହିବା ନିହାତି ଆବଶ୍ୟକ ।
ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଏବଂ ଓଜନ ମାପ କରାଯିବ । ଏହାପରେ ସେମାନଙ୍କୁ ଲିଖିତ ଆକାରରେ ତାଙ୍କ ବର୍ତମାନ ବିଏମ୍ଆଇ (ବଡି ମାସ୍କ ଇନ୍ଡେସ୍କ) ବା ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ ଓଜନ କେତେ ଓ କେତେ ରହିବା କଥା ସେ ସମ୍ପର୍କରେ ଜଣାଇ ଦିଆଯିବ । ସାଧାରଣରେ ୧୯ରୁ ୨୫ ଯାଏଁ ବିଏମ୍ଆଇକୁ ସ୍ୱାଭାବିକ ଧରାଯାଏ । ୩୦ ଉପରକୁ ବିଏମ୍ଆଇକୁ ମେଦବହୁଳତା ଭାବେ ବିବେଚନା କରାଯାଏ । ଏଭଳି ଓଜନ ଓ ହିସାବ କରିବା ପରେ ସମସ୍ତେ ଜାଣିପାରିବେ ଯେ ସେମାନଙ୍କ ଓଜନ କେତେ ହବା କଥା । ଏହି ପ୍ରକ୍ରିୟା ଜୁଲାଇ ୩୦ତାରିଖ ମଧ୍ୟରେ ଶେଷ କରାଯିବ । ଏ ସଂକ୍ରାନ୍ତୀୟ ତଥ୍ୟ ପୁଲିସ ଡାକ୍ତରଖାନାରେ ରଖାଯିବ । ପୁଣି ୩ ମାସ ପରେ ବିଶେଷ କରି ଯେଉଁମାନଙ୍କ ବିଏମ୍ଆଇ ୩୦ ଉପରେ ରହିବ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସକାଳୁ ବ୍ୟାୟାମ କରିବାକୁ ଆସିବାକୁ ପଡ଼ିବ । ଏହାସହ ୬ ସପ୍ତାହର ରିଫ୍ରେସର କୋର୍ସରେ ଯୋଗ ଦେବାକୁ ପଡ଼ିବ ।
ବର୍ତମାନ ପରିସ୍ଥିତିରେ ବେପରୁଆ ହୋଇ ନିଜ ସ୍ୱାସ୍ଥ୍ୟର ଯତ୍ନ ନନେବା ଘାତକ ସିଦ୍ଧ ହୋଇପାରେ । ଏଥିପାଇଁ ସବୁ ପୁଲିସ କର୍ମଚାରୀ ଏହି ନିର୍ଦ୍ଦେଶକୁ ନିଜ ହିତ ଦୃଷ୍ଟିରୁ କଡ଼ାକଡ଼ି ପାଳନ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ଏହି ନିର୍ଦ୍ଦେଶକୁ ଗୁରୁତ୍ୱ ଦେବେ ନାହିଁ, ସେମାନଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଯେପରିକି ଦରମା ବୃଦ୍ଧି(ଇନ୍କ୍ରିମେଂଟ୍)ବନ୍ଦ କରି ଦିଆଯିବ । ଏହାସହ ଦରକାର ପଡ଼ିଲେ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯିବ । ଏଥିପାଇଁ ସମସ୍ତେ ସତର୍କ ଓ ଯତ୍ନବାନ ହେବାକୁ ପୁଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
ପୁଲିସ କର୍ମଚାରୀମାନେ ପ୍ରଶିକ୍ଷଣ ସମୟରେ ବ୍ୟାପକ ଖେଳକୁଦ କରନ୍ତି । ଏହାଦ୍ୱାରା ବେଶ୍ ସ୍ୱାସ୍ଥ୍ୟବାନ ହୋଇ ବିଭାଗରେ ଯୋଗ ଦିଅନ୍ତି । କିନ୍ତୁ ପରବର୍ତୀ ସମୟରେ ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉନାହାନ୍ତି । ଏଥିପାଇଁ ସମୟକ୍ରମେ ସେମାନେ ରକ୍ତଚାପ, ମଧୁମେହ ଓ ଅତ୍ୟଧିକ ମେଦ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ଶାରୀରିକ ଅବସ୍ଥା ଥିଲେ ବିଭିନ୍ନ ସଂକ୍ରମଣ ବ୍ୟକ୍ତିପାଇଁ ଅଧିକ ବିପଦ ସୃଷ୍ଟି କରେ । କରୋନାର ଟୀକା ବାହାରିଲେ ମଧ୍ୟ ଏହା ହୁଏତ କିଛି ମାସ ପାଇଁ ସୁରକ୍ଷା ଯୋଗାଇପାରେ । ଭବିଷ୍ୟତରେ ନୂଆ ଭୂତାଣୁ ମଧ୍ୟ ଦେଖାଯାଇପାରେ । ଏହାଛଡ଼ା ଜଣେ ପୁଲିସ କର୍ମଚାରୀ ସୁସ୍ଥ, ସବଳ ଓ କର୍ମଠ ରହିବା ଏକ ବୃତିଗତ ଆବଶ୍ୟକତା ବୋଲି ସିପି କହିଛନ୍ତି ।
ସୂଚନା ଅନୁଯାୟୀ, କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସ ଅଧିନରେ ୮ ହଜାର ପୁଲିସ କର୍ମଚାରୀ କାର୍ଯ୍ୟ କରୁଛନ୍ତି । କେତେକ ଥାନାରେ ଆବଶ୍ୟକ ଅନୁସାରେ ପୁଲିସ କର୍ମଚାରୀଙ୍କ ସଂଖ୍ୟା କମ୍ ରହିଛି । ଟୁଇନ୍ସିଟିରେ ଏବେ ୧୮୦ଜଣ ସବ୍-ଇନ୍ସିପେକ୍ଟରଙ୍କ ସ୍ଥାନରେ ୧୨୮ଜଣ କାର୍ଯ୍ୟ କରୁଛନ୍ତି । ସେହିପରି ଆସିଷ୍ଟାଂଟ ସବ୍-ଇନ୍ସିପେକ୍ଟର ୧୮୦ଜଣଙ୍କ ସ୍ଥାନରେ ୧୫୨ଜଣ ନିୟୋଜିତ ହୋଇଛନ୍ତି । ତେବେ କଟକ-ଭୁବନେଶ୍ୱର ଦ୍ୱୈତନଗରୀ ପାଇଁ ୧୮୬ ଜଣ ହାବିଲ୍ଦାରଙ୍କ ଆବଶ୍ୟକତା ଥିବା ବେଳେ, ବର୍ତମାନ ୧୬୮ ଜଣ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ୧୫୬୨ ଜଣ କନ୍ଷ୍ଟେବଳଙ୍କ କାର୍ଯ୍ୟ ୧୪୪୬ ଜଣ କରୁଥିବା ସୂଚନା ମୁତାବକ ଜଣାପଡ଼ିଛି । ଏଥିସହିତ ୬୦ଜଣ ଇନ୍ସିପେକ୍ଟର, ୧୧ଜଣ ଅତିରିକ୍ତ ଡିସିପି ଓ ୨ଜଣ ଡିସିପି ଟ୍ୱିନ୍ସିଟିର ଦାୟିତ୍ୱ ସମ୍ଭାଳୁଛନ୍ତି ।

About the author

Leave a Reply

Your email address will not be published. Required fields are marked *