ବଧୂ ହତ୍ୟା ୭ ଦିନ ବିତିଲା ପୁଲିସ ହାତବାନ୍ଧି ବସିଛି

Spread the love

ବ୍ରହ୍ମଗିରି,୧୭ା୭ : ବାଣପୁର ଥାନା ଅନ୍ତର୍ଗତ ଖଣନ୍ତ କୁମ୍ଭାର ସାହିରେ ହୋଇଥିବା ବଧୁହତ୍ୟାକୁ ୭ ଦିନ ବିତିଲା । କିନ୍ତୁ ପୁଲିସ କେବଳ ସ୍ୱାମୀଙ୍କୁ ଗିରଫ କରି ହାତବାନ୍ଧି ବସିଛି । ଅନ୍ୟ ଅଭିଯୁକ୍ତ ମାନେ ଖୁଲମଖୁଲା ବୁଲୁଥିବା ବେଳେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି । ଏନେଇ ମୃତ ବଧୁଙ୍କ ବାପା ପୁରୀଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ମଢପଦା ଗ୍ରାମର ଅନନ୍ତ ମୁଦୁଲି ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି ।

ସୁଚନାଯୋଗ୍ୟ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ମଢପଦା ଗ୍ରାମର ଅନନ୍ତ ମୁଦୁଲି ନିଜ ଝିଅ ମାନସୀଙ୍କୁ ବାଲୁଗାଁ ବାଣପୁର ଥାନା ଅନ୍ତର୍ଗତ ଖଣନ୍ତ କୁମ୍ଭାର ସାହିର ବାବୁଲା ଦାସଙ୍କ ପୁଅ ପପୁ ଦାସଙ୍କ ସହିତ ଗତ ୩ ବର୍ଷ ତଳେ ବୈଦିକ ରୀତିରେ ବିବାହ ଦେଇଥିଲେ । ଜ୍ୱାଇଁ ଘରର ଦାବୀ ମୁତାବକ ସମସ୍ତ ଜିନିଷପତ୍ର ମଧ୍ୟ ଦେଇଥିଲେ । କିନ୍ତୁ ୫୦ ହଜାର ଟଙ୍କା ଅଧିକ ଯୌତୁକ ଦାବୀ କରି ଝିଅ ମାନସୀକୁ ଶାରୀରକ, ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ମାନସୀଙ୍କର ଦେଢ ବର୍ଷର ପୁଅ ମଧ୍ୟ ରହିଛି । ବାରମ୍ବାର ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ ଝିଅ ମାନସୀ ଫୋନ ମାଧ୍ୟମରେ ଜଣାଇଥିଲେ । ମାନସୀଙ୍କ ବାପା ମଝିରେ ଥରେ ଝିଅ ଘରକୁ ଯାଇ ଅଧିକ ଯୌତୁକ ଦେବା ପାଇଁ ସମ୍ବଳ ନଥିବା କହି ସମୁଦି ଓ ଜ୍ୱାଇଁଙ୍କ ନିକଟରେ ବହୁ ନେହୁରା ହୋଇଥିଲେ । ହେଲେ କିନ୍ତୁ ସେମାନେ କୌଣସି କଥା ବୁଝିନଥିଲେ । ଗତ ୧୦ ତାରିଖ ସକାଳେ ଝିଅର ଶ୍ୱଶୁର ବାବୁଲା ଦାସ ଫୋନ ମାଧ୍ୟମରେ ଜଣାଇଥିଲେ ଯେ ତୁମ ଝିଅ ଘରେ ଝଗଡା କରି ପୁଅକୁ ନେଇ କେଉଁଆଡେ ଚାଲିଯାଇଥିଲା । ଆମେ ତାକୁ ଖୋଜାଖୋଜି କରି ଘରକ ଆଣିଛ । ତୁମେ ଆସ ତୁମ ଝିଅକୁ ବୁଝାଶୁଝା କର । ତାର କିଛି ସମୟ ପରେ ସ୍ଥାନିୟ ସରପଞ୍ଚର ପରିଚୟ ଦେଇ ଅନ୍ୟ ଜଣେ ଫୋନରେ କହିଲେ ତୁମ ଝିଅ ଝଗଡା କରିଛି । ତୁମେ ତୁରନ୍ତ ଆସି ତାକୁ ବୁଝାଅ । କିନ୍ତୁ ଝିଅ ମାନସୀର ଫୋନ ନମ୍ବରକୁ ବାପା ଅନନ୍ତ ବାରମ୍ବାର ଲଗାଇବାରୁ ଫୋନ୍ ସ୍ୱିଚ୍ ଅଫ୍ ଥିବା ଜଣାପଡିଥିଲା । ଉକ୍ତ ଦିନ ରାତି ପ୍ରାୟ ୯ଟା ସମୟରେ ଅନନ୍ତଙ୍କ ସମୁଦି ବାବୁଲା ଦାସ ପୁଣି ଫୋନ କରି କହିଲେ ଯେ ତୁମ ଝିଅ ମାନସୀ ନିଜେ ବିଷ ଖାଇବା ସହିତ ତାର ଛୋଟ ପୁଅକୁ ମଧ୍ୟ ବିଷ ଖୁଆଇ ଦେଇଛି । ପ୍ରଥମେ ବାଲୁଗାଁ ଡାକ୍ତରଖାନା ଓ ପରେ ଖୋର୍ଦ୍ଧା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଯାଇଛି । ଅନନ୍ତ ନିଜ ଭାଇ ମାନଙ୍କ ସହିତ ରାତିରେ ଯାଇ ଖୋର୍ଦ୍ଧା ଡାକ୍ତରଖାନାରେ ପହଞ୍ଚି ଝିଅ ମାନସୀ ମରି ପଡିଥିବା ଦେଖିଥିଲେ । ପରେ ଝିଅକୁ ବିଷ ଖୁଆଇ ମାରି ଦିଆଯାଇଥିବା ଅନନ୍ତ ମୁଦୁଲି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୁଲିସ ୨୨୫/୨୦୨୦ରେ ଏକ ମାମଲା ରୁଜୁ କରି ଡାକ୍ତରଖାନାରେ ଥିବା ସ୍ୱାମୀ ପପୁ ଦାସକୁ ଗିରଫ କରିଥିଲା । କିନ୍ତୁ ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ଘଟଣାରେ ସଂପୃକ୍ତ ଥିବା ଝିଅର ଶାଶୁ କୁମାରୀ ଦାସ, ଶ୍ୱଶୁର ବାବୁଲା ଦାସ, ଖୁଡିଶାଶୁ ପ୍ରମିଳା ଦାସ, ଦାଦା ଶ୍ୱଶୁର କବିରାଜ ଦାସ ଓ ଦିଅର ବିକାଶ ଦାସଙ୍କୁ ପୁଲିସ ଗିରଫ କରିନଥିବା ଜଣାପଡିଛି ।

About the author

Leave a Reply

Your email address will not be published. Required fields are marked *