କଂଟେନ୍ମେଂଟ ଜୋନ୍ ଘୋଷଣା କଲା ପ୍ରଶାସନ
ପଦ୍ମପୁର ୧୯ଜୁଲାଇ: – ଆଜି ବରଗଡ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ସରେଇକେଲା ଗ୍ରାମରୁ ଜଣେ କରୋନା ସଂକ୍ରମିତ ଠାବ ହେବା ପରେ ଜିଲ୍ଳାପାଳ ବରଗଡ ଶ୍ରୀ ଜ୍ୟୋତିରଂଜନ ପ୍ରଧାନଙ୍କର ନିର୍ଦ୍ଦେଶକ୍ରମେ ସରେଇକେଲା ଗ୍ରାମକୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ କଂଟେନ୍ମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି । ପଦ୍ମପୁର ଉପଜିଲ୍ଳାପାଳ ଶ୍ରୀ ତନ୍ମୟ କୁମାର ଦରୁୱାନ୍ ଙ୍କର ତତ୍ୱାବଧାନରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ସରେଇକେଲା ଗ୍ରାମକୁ ଯାଇ ଗ୍ରାମରୁ ବାହାରୁଥିବା ସମସ୍ତ ରାସ୍ତା ଗୁଡିକୁ ବାଉଁଶ ଦେଇ ବନ୍ଦ କରିଦେଇଥିଲେ । ଏହି ଅବସରରେ ପାଇକମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ମେହର ଜଗଦଲପୁର ଥାନା ଅଧିକାରୀ ଲିଳିମା, ଲଳିତା ବାର୍ଲା ସ୍ଥାନୀୟ ଅଙ୍ଗନବାଡି କର୍ମୀ ଲକ୍ଷ୍ମୀ ପ୍ରଧାନ, ଭଗବତୀ ବରିହା, ଲୋଚନା ପଟେଲ ଓ ଗ୍ରାମରେ ନିୟୋଜିତ ଆଶାକର୍ମୀ ରାଜକୁମାରୀ ବରିହା, ଡାକ୍ତର ସୁଦିପ୍ତ କୁମାର ସାହୁ, ଫାର୍ମାସିଷ୍ଟ ଚିତ ରଂଜନ ଦଣ୍ଡସେନା, ସରାଇକେଲା ଗ୍ରାମପଂଚାୟତ ସରପଂଚ ନଳିନୀ ଗଡଡିଆ, ମାଡାମ୍ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ସରେଇକେଲାର ସଂକ୍ରମିତ ଜଣଙ୍କ ପ୍ରଶାସନିକ ଅଧିକାରୀମାନଙ୍କର ଚିନ୍ତା ବଢାଇଦେଇଛି । ସରେଇକେଲା ଅଂଚଳରୁ ଜଣେ ସଂକ୍ରମିତ ଠାବ ହେବା ପରେ ଆଜି ଉପଜିଲ୍ଳାପାଳଙ୍କର ନିର୍ଦ୍ଦେଶ କ୍ରମେ ଉପଖଣ୍ଡର ପାଇକମାଳ, ଝାରବନ୍ଧ, ଗାଇସିଲଟ ବ୍ଲକ ଗୁଡିକୁ ଚଳିତ ମାସର ପ୍ରତ୍ୟେକ ଶନିବାର ଓ ରବିବାରେ ସଟ୍ଡାଉନ୍ ଘୋଷଣା କରାଯାଇଛି । ଏହି ସଟ୍ଡାଉନ୍ ପ୍ରକ୍ରିୟା ଆଜି ଠାରୁ ଲାଗୁ ହୋଇଛି ବୋଲି ଉପଜିଲ୍ଳାପାଳ ଜଣାଇଛନ୍ତି । ଯଦି କୌଣସି ଅତି ଜରୁରୀ କାମ ନ ଥାଏ ତେବେ କେହି ଘରୁ ପଦାକୁ ବାହରନ୍ତୁ ନାହିଁ ବୋଲି ଉପଜିଲ୍ଳାପାଳ ତନ୍ମୟ କୁମାର ଦରୱାନ୍ ଜନସାଧାରଣଙ୍କୁ ଅପିଲ କରିଛନ୍ତି ।