ସୁବର୍ଣ୍ଣରେଖା ନଦିବାଲି ଲୁଣ୍ଠନ ବଢି ଚାଲିଛି

Spread the love

ଜଳେଶ୍ୱର, ୧୯/୭ : ସୁବର୍ଣ୍ଣରେଖା ନଦୀର ବାଲିର ଚାହିଦା ଅଧିକ ଥିବାରୁ ଏହାର ମୂଲ୍ୟ ଅଧିକ ହୋଇଥାଏ । କେତେକ ବାଲି ମାଫିଆ ସୈରାତ ନଥିବା ସ୍ଥାନରୁ ବାଲି ଉତ୍ତୋଳନ କରି ମାଲେମାଲ ହେଉଥିବା ଦେଖିବାକୁ ମିଳୁଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ସରକାର ହରାଉଛନ୍ତି । ଘଟଣାରୁ ପ୍ରକାଶ ଜଳେଶ୍ୱର ତହସିଲ ଅନ୍ତର୍ଗତ ଗୋପ ଓ ବଜାରଶୋଳ ଗାଁ ନିକଟରେ ସୁବର୍ଣ୍ଣରେଖା ନଦୀର କୌଣସି ବାଲି ସୈରାତ ନଥିବା ବେଳେ ସେସବୁ ସ୍ଥାନରେ ନିଲାମ ଦେବା ପ୍ରଶ୍ନ ଉଠୁନାହିଁ । କିନ୍ତୁ ଗାଁର କେତେକ ବ୍ୟକ୍ତି ଗତ କିଛିଦିନ ଧରି ସେଠାରୁ ରାତିରେ ବାଲି ଉତ୍ତୋଳନ କରୁଥିବା ଦେଖିବାକୁ ମିଳୁଛି । ପୂର୍ବରୁ ବାଲି ଉତ୍ତୋଳନ ହେଉନଥିବାରୁ ସେଠାରୁ ନଦୀପଠାକୁ ରାସ୍ତା ନଥିଲା । ତେଣୁ ଏବେ ଗ୍ରାମର କେତେକ ବ୍ୟକ୍ତି ଏକ ନୂତନ ରାସ୍ତା ନିର୍ମାଣ କରି ଚୋରାରେ ବାଲି ଉତ୍ତୋଳନ କରୁଛନ୍ତି । କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ସୁବର୍ଣ୍ଣରେଖା ନଦୀଟି ଜଳେଶ୍ୱର ତହସିଲ ମଧ୍ୟଦେଇ ଗତି କରିଥିବାରୁ ୧୨/୧୩ଟି ସ୍ଥାନରେ ବାଲି ସୈରାତ ନଥାଇ କେତେକ ମୁନାଫାଖୋର ବ୍ୟକ୍ତି ଚୋରାରେ ବାଲି ଉତ୍ତୋଳନ କରୁଥିବାରୁ ସେଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି । ଗୋପ-ବଜାରଶୋଳ ଗ୍ରାମ ନିକଟରେ ବାଲି ଉତ୍ତୋଳନ ଯୋଗୁଁ ଏହାର ଫଟୋଉତ୍ତୋଳନ କରି କେତେକ ବ୍ୟକ୍ତି ଜିଲାପ୍ରଶାସନ, ଭିଜିଲାନ୍ସ, ପୁଲିସ୍ ଡିଜି, ଖଣି ଓ ପରିବେଶ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଶାସନିକ ଉଦାସୀନତା ଯୋଗୁଁ ବେଆଇନ୍ ବାଲି ଉତ୍ତୋଳନ ହେଉଥିବାର କୁହାଯାଉଛି । କର୍ତ୍ତୃପକ୍ଷ ଦୃଷ୍ଟି ଦେଲେ ସରକାରଙ୍କ ରାଜସ୍ୱହାନି ଘଟନ୍ତାନାହିଁ ବୋଲି କହୁଯାଇଛି ।

About the author

Leave a Reply

Your email address will not be published. Required fields are marked *