ଜଳେଶ୍ୱର, ୨୦/୭: ଆଜି ପୂର୍ବାହ୍ନରେ ଜଳେଶ୍ୱର ହାଟପଡିଆଠାରେ ଡେଲି ମାର୍କେଟ କମିଟିର ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଛି । କମିଟିର ଉପଦେଷ୍ଟା ଦୁର୍ଜୟ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରି ଦୀର୍ଘ ୨୭ବର୍ଷ ଧରି ହାଟପଡିଆଠାରେ ଡେଲି ମାର୍କେଟ ବସୁଥିଲେ ମଧ୍ୟ ସେଠାକାର ବ୍ୟବସାୟୀମାନଙ୍କୁ ନିର୍ଯ୍ୟାତନା ଦିଆଯିବା ସହିତ ବିଶେଷ ସୁବିଧା ସୁଯୋଗ ଦେଇନଥିବାର ପ୍ରକାଶ କରିଥିଲେ । ଉପାନ୍ତ ଅଂଚଳର ଜଳେଶ୍ୱର, କମର୍ଦ୍ଦା, ରାଇବଣିଆ, ଭୋଗରାଇ , ପଶ୍ଚିମବାର୍ଡ, ରାଜଘାଟ ଓ ପଶ୍ଚିମବଂଗର ଦାଂନ୍ତୁନ, ମୋହନପୁର, ବେଲଦା, ଗୋମୁଣ୍ଡା, ଏଗ୍ରା ଅଂଚଳର ବ୍ୟବସାୟୀମାନେ ଜଳେଶ୍ୱର ହାଟ ଉପରେ ନିର୍ଭରଶୀଳ । ଏଠାକୁ ପ୍ରାୟ ପ୍ରତିଦିନ ୫ଶହ ବ୍ୟବସାୟୀ ବିଭିନ୍ନ ସ୍ଥାନରୁ ଆସୁଥିବା ବେଳେ ୫ହଜାର ସ୍ଥାନୀୟ ଲୋକେ ପନିପରିବା, ତେଜରାତି, ମାଛମାଂସ, ଅଣ୍ଡା, କ୍ଷୀର ଓ ଅନ୍ୟାନ୍ୟ ଆସବାପତି କିଣିବାକୁ ଆସିଥାନ୍ତି । କିନ୍ତୁ ଏବେ ସଟ୍ଡାଉନ୍ ଓ ଲକ୍ ଡାଉନ୍ ବାରମ୍ବାର ଘୋଷଣା ହେଉଥିବାରୁ ବ୍ୟବସାୟୀମାନେ ନାହିଁନଥିବା ଅସୁବିଧା ଓ କ୍ଷତିର ସମ୍ମୁଖୀନ ହେଉଛନ୍ତି । ମାର୍କେଟକୁ ପ୍ରବେଶ ଦ୍ୱାରରେ ସାଇକେଲ ଓ ବାଇକ୍ ରଖା ଯିବାର ବ୍ୟବସ୍ଥା ନ ଥିବା ବେଳେ ପିଇବା ପାଣିର ବ୍ୟବସ୍ଥା ଆଦୌ ନାହିଁ । ସେହିପରି ଶୌଚାଳୟ, ଗାଧୁଆଘର ଇତ୍ୟାଦି ମଧ୍ୟ ସେଠାରେ ନଥିବାର ସେମାନେ ଅଭିଯୋଗ କରିଛନ୍ତି । ପ୍ରକାଶଯୋଗ୍ୟ ଜଳେଶ୍ୱର ବଜାରମଧ୍ୟରେ ଥିବା ଗ୍ରୋସରୀ ଓ ଅନ୍ୟ ଦୋକାନୀମାନେ ଯେଉଁ ସୁବିଧା ସୁଯୋଗ ପାଉଛନ୍ତି ଡେଲି ମାର୍କେଟ ର ବ୍ୟବସାୟୀମାନଙ୍କୁ ସେପରି ସୁବିଧା ସୁଯୋଗ ମିଳୁନାହିଁ । ମାର୍କେଟରୁ ଆର୍ଏମ୍ସି କର ନେଉଥିବା ବେଳେ ବ୍ଲିଚିଂ ପକାଇବା ବା ସାନିଟାଇଜେସନ୍ର ବ୍ୟବସ୍ଥା କେବେ ହେଉନାହିଁ । ଏହି ମାକେର୍ଟ ନିକଟରେ ବ୍ୟବସାୟୀଙ୍କୁ ମିଳୁଥିବା ସୁବିଧା ସୁଯୋଗ ମାର୍କେଟ ମଧ୍ୟରେ ଥିବା ବ୍ୟବସାୟୀଙ୍କୁ ଦିଆଯାଉନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଅଂଚଳର ଚାଷୀମାନେ ସେମାନଙ୍କ ଉତ୍ପାଦିତ ପରିବା, ମୁଗ, ବିରି, ଡାଲି ଜାତୀୟ ଖାଦ୍ୟ, ଷୋରିଶ, ଲଙ୍କା ଇତ୍ୟାଦି ନିଜେ ବିକ୍ରି କରିବାର ସୁବିଧା ପାଇଥାନ୍ତି । ସପ୍ତାହର ୨ ଶନିବାର ଓ ରବିବାର ସଟ୍ଡାଉନ୍ ଘୋଷଣା ହେବା ଫଳରେ ଶୁକ୍ରବାର ଓ ସୋମବାର ମାର୍କେଟ ମଧ୍ୟରେ ଅଧିକ ଗହଳି ହେଉଛି । ମାତ୍ର ସପ୍ତାହର ୭ଦିନ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମାର୍କେଟ ଚାଲୁ ରଖିବାକୁ ପ୍ରଶାସନ ନିକଟରେ ଦିବି କରାଯାଇଛି । କିନ୍ତୁ ଆଜିଠାରୁ ଡେଲି ମାର୍କେଟକୁ ଅନ୍ୟତ୍ର ସ୍ଥାନାନ୍ତରକୁ ବିରୋଧ କରିବା ସହ ଅତିଶୀଘ୍ର ଡେଲି ମାର୍କେଟ ପୂର୍ବବତ୍ ଚଳାଇବାକୁ ଦାବି ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ସଂପାଦକ ସନ୍ତୋଷ ସେନାପତି, ଅନ୍ୟ ଉପଦେଷ୍ଟା ଅମୂଲ୍ୟ ଚନ୍ଦା, ମହେଶ୍ୱର ବେହେରା, ବନମାଳି ବାରିକ, ମନୋରଂଜନ ଗିରି, ଜୟନ୍ତ ବେହେରା, ସୁରେନ୍ଦ୍ର ସାହୁ, ଶ୍ୟାମସୁନ୍ଦର ବେହେରା, ଗୋପାଳ ଚନ୍ଦ୍ର ଗିରି, ମହେଶ୍ୱର ସାମଲ, ହେମନ୍ତ ବେହେରା, ସତ୍ୟନାରାୟଣ ଦାସ, ଭୋଳାନାଥ ଭଂଜ, ଅଧିର ପାଳ, ହରେନ୍ଦ୍ର ଜେନା, ସେକ୍ ନୁରୁଦ୍ଦିନ, ଉଦୟ କୁମାର ଭଂଜ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ମତାମତ ପ୍ରକାଶ କରିଥିଲେ ।
About the author
Related Posts



November 17, 2020