ବିଜୟ ମହାନ୍ତିଙ୍କ ଦେହାନ୍ତରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

Spread the love

ଭୁବନେଶ୍ୱର  : ଓଲିଉଡର ବର୍ଷିୟାନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସେହିଭଳି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଓଡିଆ ଫିଲ୍ମରେ ବିଜୟଙ୍କ ଅବଦାନ ଅତୁଳନୀୟ । ବିଜୟ ମହାନ୍ତିଙ୍କ ଦେହାନ୍ତ ରାଜ୍ୟ ପାଇଁ ଅପୁରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବିଜୟଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ବିଜୟଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା,କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ପୁଲିସ କମିଶନର ଡକ୍ଟର ସତ୍ୟଜିତ ମହାନ୍ତିଙ୍କ ସମେତ ବହୁ ବିଧାୟକ ଓ କେନ୍ଦ୍ରମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୃତ୍ୟୁ ବେଳକୁ ବିଜୟଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ୧୯୫୦ ମସିହାରେ କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଆଦିକନ୍ଦ ମହାନ୍ତି ଓ ଶାନ୍ତିଲତା ମହାନ୍ତିଙ୍କ ସୁପୁତ୍ର ବିଜୟ ମହାନ୍ତି ଗ୍ରାଜୁଏସନ ପାସ କରିବା ପରେ ନ୍ୟାସନାଲ ସ୍କୁଲ ଆଣ୍ଡ ଡ୍ରାମାରେ ଯୋଗ ଦେଇଥିଲେ । ସେଠାରେ ସେ ବଲିଉଡର ଖ୍ୟାତିନାମା କଳାକାର ନାସିରୁଦ୍ଦିନ ଶାହା, ରାଜ ବାବର ଓ ଓମ୍‌ପୁରୀ ସହ ଉର୍ତ୍ତିଣ୍ଣ ହୋଇଥିଲେ । ୧୯୭୫ ମସିହା ପର୍ୟ୍ୟନ୍ତ ସେ ଦିଲ୍ଲୀରେ ରହିବା ପରେ ଓଡ଼ିଶା ଫେରିଥିଲେ । ପରେ ସେ ନାଗଫାସ, ଦଣ୍ଡାବାଳୁଙ୍ଗା, ଜଗାହାତରେ ପଘା, ପୁଅମୋର କଳା ଠାକୁର ଭଳି ଅନେକ ଓଡ଼ିଶା ସିନେମାରେ ଅଭିନୟ କରି ଓଡ଼ିଶାର ଘରେଘରେ ପରିଚିତ ହୋଇପାରିଛନ୍ତି । କେବଳ ସେ ଜଣେ ଅଭିନେତା ନୁହଁନ୍ତି, ବରଂ ଜଣେ ଭଲ ମଣିଷ ଭାବେ ଜଣାଶୁଣା ।

ହାଇଦ୍ରାବାଦରେ ରହୁଥିବା ଝିଅ ପାଖକୁ ଯାଇଥିଲେ । ସେଠାରେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଏକ ଘରୋଇ ହସପିଟାଲରେ ଚିକିତ୍ସା କରାଯାଉଥିଲା । ସୁସ୍ଥ ହେବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ତେବେ ସୋମବାର ରାତିରେ ସେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପୁଣି ହସପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ଘଟିଥିଲା । ମଙ୍ଗଳବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟଙ୍କ ଶେଷକୃତ ଭୁବନେଶ୍ୱରରେ କରାଯିବ ବୋଲି ସୂଚନା ମିଳିଛି ।

About the author

Leave a Reply

Your email address will not be published. Required fields are marked *