ଭୁବନେଶ୍ୱର ଓ କଟକର ନୂଆ ଡିସିପି ଭାବେ ଉମାଶଙ୍କର ଦାସ ଓ ପ୍ରତୀକ ସିଂହଙ୍କ ଦାୟିତ୍ୱ

Spread the love

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକର ନୂଆ ଡିସିପି ଭାବେ ଉମାଶଙ୍କର ଦାସ ଓ ପ୍ରତୀକ ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ପୁଲିସ ସେବା ଭବନରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ଦୁଇ ଡିସିପି ଦାୟିତ୍ୱ ଗ୍ରହଣ କରିଥିବା ବେଳେ ପୁରୁଣାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଦାୟିତ୍ୱ ନେବା ପରେ ଲୋକଙ୍କ ସହ ରହି ସେମାନଙ୍କ ସହଯୋଗରେ ଟ୍ୱିନସିଟିରେ ଅପରାଧ ନିୟନ୍ତ୍ରଣ କରିବେ ବୋଲି ମତବ୍ୟକ୍ତ କରିଛନ୍ତି । ବିଶେଷ କରି ଏହି କରୋନା ମହାମାରୀ ଭଳି କଠିନ ସମୟରେ କାମ କରିବା ଏକ ବଡ ଚାଲେଞ୍ଜ ହେବ । ତେଣୁ ଲୋକଙ୍କ ସହଯୋଗ, ସହକର୍ମୀଙ୍କ ଉଦ୍ୟମ ଓ ସିନିୟରଙ୍କ ନିର୍ଦ୍ଦେଶ ପାଳନ କରି ନିଜର ଦାୟିତ୍ୱ ଠିକ ସମ୍ପାଦନ କରିପାରିବୁ ବୋଲି ଆଶା ରଖିଛନ୍ତି । ସେହିପରି ଦୁଇ ବିଦାୟୀ ଡିସିପି ଅନୁପ ସାହୁ ଓ ଅଖିଳେଶ ସିଂହ ଏହା ସେମାନଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ।
୨୦୦୮ ବ୍ୟାଚର ଆଇପିଏସ୍ ଉମାଶଙ୍କର ଦାସ ଭୁବନେଶ୍ୱରର ୬ଷ୍ଠ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଅମିତାଭ ଠାକୁର, ହିମାଂଶୁ ଲାଲ, ନିତିନଜିତ ସିଂ, ସତ୍ୟବ୍ରତ ଭୋଇ ଓ ଅନୁପ ସାହୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ । ଶ୍ରୀଦାସ ଡିସିପି ଭାବେ କାର୍ଯ୍ୟଭାର ଦେବା ପରେ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇବେ ବୋଲି ରାଜଧାନୀବାସୀ ଆଶା ରଖିଛନ୍ତି ।
ଉମାଶଙ୍କର ଦାସ ୨୦୦୮ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର ଅଟନ୍ତି । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡ଼େମୀରୁ ତାଙ୍କର ପ୍ରଶିକ୍ଷଣ ସରିବା ପରେ ସେ ୨୦୧୦ରେ ବରଗଡ଼ ଏସ୍‌ପି ଭାବେ ନିଯୁକ୍ତି ପାଇଥିଲେ । ଏହା ପରେ ସେ ଝାରସୁଗୁଡ଼ା, ରାଉରକେଲା ଓ ପୁରୀ ଏସ୍‌ପି ଭାବେ ଦାୟିତ୍ୱ ନେଇଛନ୍ତି । ଏବେ ସେ ପୁରୀ ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ବଦଳି କରାଯାଇ ଭୁବନେଶ୍ୱର ଡିସିପି ପଦରେ ଅବସ୍ଥାପିତ କରାଯାଇଛି । ମହାମାରୀ କରୋନା ସମୟରେ ଭକ୍ତଶୂନ୍ୟ ରଥଯାତ୍ରା ଓ ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଲାଗି ଉଚ୍ଛେଦ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରି ଚର୍ଚ୍ଚାକୁ ଆସିଥିଲେ । ଏପରିକି ପୁରୀ ସହରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସେ ଖୁବ୍ ଭଲ ଭାବେ ତୁଲାଇଥିଲେ । ଏନେଇ ତାଙ୍କୁ ଚାରିଆଡୁ ପ୍ରଂଶସା ମଧ୍ୟ ମିଳିଛି ।
ଆଇପିଏସ୍ ଉମାଶଙ୍କର ୧୯୮୦ ମସିହା ଜୁଲାଇ ୧୫ତାରିଖରେ ମୟୁରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବାରିପଦାର ଯଶିପୁରରେ ସେ ତାଙ୍କର ସ୍କୁଲ ପାଠପଢ଼ା କରିଥିଲେ । ଏହାପରେ ସେ ବାରିପଦା ଏମ୍‌ପିସି କଲେଜରେ ଗ୍ରାଜୁଏସନ୍ କରିଥିଲେ । ପରେ ଉଚ୍ଚଶିକ୍ଷା ପାଇଁ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରରେ ଏମ୍‌ବିଏ କରିଥିଲେ । ପରେ ସେ ମ୍ୟାନେଜମେଂଟରେ ପିଏଚ୍‌ଡି କରି ଉତରପ୍ରଦେଶରେ ବିଏଚ୍‌ଇଏଲ୍ ସଂସ୍ଥାରେ ଏଚ୍‌ଆର୍ ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ସେ ସିଭିଲ୍ ସେବା ପରୀକ୍ଷା ପାଇଁ ପଢ଼ାପଢ଼ି ଜାରି ରଖିଥିଲେ । ପରେ ସେ ସିଭିଲ୍ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଓଡ଼ିଶା କ୍ୟାଡର୍‌ରେ ଆଇପିଏସ୍ ପାଇଥିଲେ । ଚାକିରୀ ସମୟରେ ସେ ନିଜ କର୍ତବ୍ୟକୁ ଅତି ନିଷ୍ଠା ଓ ଦକ୍ଷତାର କରି ଚାଲିଛନ୍ତି । ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ସହ ଲୋକଙ୍କ ନିକଟତର ହୋଇ ବେଶ ସଫଳତା ହାସଲ କରିଛନ୍ତି ।
ସେହିପରି ୨୦୧୪ ବ୍ୟାଚର ଯୁବଆଇପିଏସ ଅଫିସର ପ୍ରତୀପ ସିଂହ ଅତି କମ ସମୟ ମଧ୍ୟରେ ସେ ନିଜର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି । କନ୍ଧମାଳ ଏସପି ଭାବେ ସେ ସଠିକ ଢଙ୍ଗରେ ଓ ସଫଳତାର ସହ କାମ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଦୁଇ ଡିସିପିଙ୍କ ଦାୟିତ୍ୱ ଗ୍ରହଣ ପରେ ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିସ୍ଥିତି ଉତ୍ସାହଜନକ ରହିବ ବୋଲି ଲୋକେ ଆଶା ରଖିଛନ୍ତି ।

About the author

Leave a Reply

Your email address will not be published. Required fields are marked *