ସ୍ୱାଧୀନତାର ଦୀର୍ଘବର୍ଷ ପରେ ପରିଖି ବଳରାମଗଡ଼ିବାସୀ ଦେଖିଲେ ବିଜୁଳି ଆଲୁଅ

Spread the love

ବାଲେଶ୍ୱର : ସ୍ୱାଧୀନତାର ଦୀର୍ଘବର୍ଷ ପରେ ଆଜି ବିଜୁଳି ଆଲୋକ ଦେଖିବାକୁ ପାଇଥିବା ବାଲେଶ୍ୱର ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୮ କିମି ଦୂର ପରଖି ପଞ୍ଚାୟତର ବଳରାମଗଡ଼ିି ଗାଁଆର ଲୋକଙ୍କ ଆନନ୍ଦ କହିଲେ ନ ସରେ । ବଳରାମଗଡ଼ି ଗାଁ ପରିଖି ପଞ୍ଚାୟତର ଏକ ୱାର୍ଡ଼ ହୋଇଥିବା ବେଳେ ଏଠି ୪୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ଏହି ଗ୍ରାମର ଭଲ ରାସ୍ତାଟିଏ ଓ ବିଜୁଳି ଆଲୋକ ପାଇଁ ଦୀର୍ଘଦିନ ଧରି ଲୋକେ ଦାବି କରିଆସୁଥିଲେ । ମାତ୍ର ପ୍ରଶାସନ ଲୋକ ପ୍ରତିନିଧି ତଥା ରାଜନେତାଙ୍କଠାରୁ କେବଳ ପ୍ରତିଶ୍ରୁତି ହିଁ ମିଳି ଆସୁଥିଲା । ଇତି ମଧ୍ୟରେ ବହୁ ସାଂସଦ, ବିଧାୟକ ଓ ସରପଞ୍ଚ ନିଜର କାର୍ଯ୍ୟକାଳ ଶେଷ କରି ଚାଲି ଯାଇଥିଲେ ବି କୁଡ଼ିପାହି ଗ୍ରାମର ଭାଗ୍ୟ ବଦଳି ନଥିଲା । ବିଜୁ ଗ୍ରାମ୍ୟ ଜ୍ୟୋତି, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି, ପ୍ରଧାନମନ୍ତ୍ରୀ ସୌଭାଗ୍ୟ ପ୍ରଭୃତି ଯୋଜନାରେ କେତେଗୋଟି ବିଦ୍ୟୁତ୍ ଖୁଣ୍ଟ ପୋତାଯାଇଥିଲା । ମାତ୍ର ଟ୍ରାନ୍ସଫର୍ମାର କିମ୍ବା ବିଦ୍ୟୁତ୍ ତାର ଟାଣିବା ନେଇ କିଛି ପଦକ୍ଷେ ଗ୍ରହଣ କରାଯାଉ ନଥିଲା । ଏହାକୁ ନେଇ ଗତମାସ କେତେକ ଗଣମାଧ୍ୟମ ଏହି ଗାଁକୁ ଆସି ଲୋକଙ୍କ ସମସ୍ୟା ସମ୍ପର୍କରେ ଜାଣିବା ଓ ବାସ୍ତବତାକୁ ଦେଖିବା ସହ ସମ୍ବାଦ ପ୍ରକାଶ ତଥା ପ୍ରସାରଣ କରିଥିଲେ । ଏହାର ପ୍ରଭାବରେ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାନ୍ସଫର୍ମାର ପ୍ରତିଷ୍ଠା ସାଙ୍ଗକୁ ବିଦ୍ୟୁତ୍ ତାର ଟଣାଯାଇ ବିଦ୍ୟୁତ୍ ସଂଯୋଗ ବି ହୋଇଯାଇଛି । ଏବେ ଗ୍ରାମବାସୀଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ ଜାରି ରହିଛି । ଆଉ ୨/୩ ଦିନ ମଧ୍ୟରେ ଗ୍ରାମର ସମସ୍ତ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଯିବ ବୋଲି ଆଶା କରାଯାଉଛି । ତେବେ ସ୍ୱାଧୀନତାର ଦୀର୍ଘ ବର୍ଷରେ ଏହି କୁଡ଼ିପାହି ଗାଁ’କୁ ବିଦ୍ୟୁତ୍ ଆସିବା ପରେ ଉତ୍ସବ ଆୟୋଜନ ଭିତ୍ତିରେ ନୂଆ ପ୍ରତିଷ୍ଠା ହୋଇଥିବା ଟ୍ରାନ୍ସଫର୍ମାରକୁ ଆଜି ଉଦ୍‌ଘାଟନ କରାଯାଇଥିଲା । ସଦର ବ୍ଲକ ଉପାଧ୍ୟକ୍ଷା ସୁପ୍ରୀତି ଗିରି, ପରଖି ସରପଞ୍ଚ କବିତା ପାତ୍ର ସମାଜସେବୀ କମରୁଲ ଅଲ୍ଲି ଖାଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଟ୍ରାାନ୍ସଫର୍ମାରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ବିଳମ୍ବରେ ହେଉ ପଛେ ପ୍ରଶାସନ ତଥା ବିଭାଗୀୟ ପଦକ୍ଷେପ ବେଶ୍ ପ୍ରଶଂସନୀୟ ବୋଲି ସେମାନେ କହିଥିଲେ । ତେବେ ସବୁଠାରୁ ଧନ୍ୟବାଦର ପାତ୍ର ଗଣମାଧ୍ୟମ ପ୍ରତିନିଧି ବୋଲି ସେମାନେ କହିଥିଲେ । ଗଣମାଧ୍ୟମୀ ପ୍ରତିନିଧିମାନେ ଗାଁ’ର ସମସ୍ୟାକୁ ଟିଭି ଓ ଖବରକାଗଜ ମାଧ୍ୟମରେ ପ୍ରକାଶ ଏବଂ ପ୍ରସାରଣ କରିବା ପରେ ଗ୍ରାମବାସୀମାନେ ଆଜି ବିଦ୍ୟୁତ୍ ଆଲୁଅ ଦେଖିପାରିଛନ୍ତି ବୋଲି ସେମାନେ କହିଥିଲେ ।

About the author

Leave a Reply

Your email address will not be published. Required fields are marked *