କୋଭିଡ଼ ଡ୍ୟୁଟି ସମୟରେ ମୃତ୍ୟୁବରଣ କରୁଥିବା କୋଭିଡ଼ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ – ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର, ୨୮ ଜୁଲାଇ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ଼-୧୯ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । କୋଭିଡ଼ ଡ୍ୟୁଟିରେ ମୃତ୍ୟୁବରଣ କରୁଥିବା କୋଭିଡ଼ ଯୋଦ୍ଧାଙ୍କ ନିକଟତମ ଆତ୍ମୀୟ ମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ସହାୟତା କୋଭିଡ଼ ଯୁଦ୍ଧରେ ନିୟୋଜିତ କର୍ମଚାରୀ ଓ ଜନପ୍ରତିନିଧିଙ୍କ (ସରପଂଚ ଓ ଅନ୍ୟ ପ୍ରତିନିଧି) ନିକଟତମ ଆତ୍ମୀୟମାନେ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।ସେହିପରି କୋଭିଡ଼-୧୯ ଡ୍ୟୁଟି ସମୟରେ ମୃତ୍ୟୁବରଣ କରୁଥିବା ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କ ନିକଟତମ ଆତ୍ମୀୟମାନେ ଯଥାକ୍ରମେ ମାସିକ ୭୫୦୦ ଟଙ୍କା ଏବଂ ୫୦୦୦ ଟଙ୍କା ଲେଖାଏ ସହାୟତା ପାଇବେ । ମୃତ ଅଙ୍ଗନୱାଡ଼ି ଓ ଆଶାକର୍ମୀ ମାନେ ବଂଚିଥିଲେ ସେମାନଙ୍କୁ ଯେବେ ୬୦ ବର୍ଷ ହୋଇଥାନ୍ତା, ସେ ପର୍ଯ୍ୟନ୍ତ ଏହି ସହାୟତା ସେମାନଙ୍କ ପରିବାରବର୍ଗଙ୍କୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଭଳି ଦୁଃଖଦ ଘଟଣା କ୍ଷେତ୍ରରେ ଯୋଦ୍ଧା ମାନଙ୍କ ପରିବାର ଯେପରି ଅବିଳମ୍ବେ ସହାୟତା ରାଶି ପାଇପାରିବେ, ସେଥିପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।ରାଜ୍ୟରେ ଅଣ-କୋଭିଡ଼ ରୋଗୀମାନେ ବିଭିନ୍ନ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପାଉ ନଥିବାର କେତେକ ଅଭିଯୋଗ ଆସୁଥିବାରୁ, ସେମାନଙ୍କ ଚିକିତ୍ସାରେ ଯେପରି ସାମାନ୍ୟତମ ଅବହେଳା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ରାଜ୍ୟରେ ଆମ୍ବୁଲାନ୍ସ ନେଟୱାର୍କକୁ ସୁଦୃଢ଼ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରୋଗୀଙ୍କ ଜୀବନ ବଂଚାଇବା ଆମର ପ୍ରାଥମିକତା ଆମର ସବୁ ପଦକ୍ଷେପକୁ ଏହା ଉପରେ କେନ୍ଦ୍ରିତ କରବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ କୋଭିଡ଼ ପରିଚାନଳନାରେ ପ୍ରଶାସନର ଆଗୁଆ ପ୍ରସ୍ତୁତି ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ଭିତିଭୂମି ନିର୍ମାଣ ଏହି ମହାମାରୀକୁ ନିୟନ୍ତ୍ରଣ କରିବାରେ ଫଳପ୍ରଦ ଭୂମିକା ଗ୍ରହଣ କରିଛି । ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନ ଥିବା ସ୍ୱଳ୍ପ ଓ ମଧ୍ୟମ ଲକ୍ଷଣଯୁକ୍ତ କୋଭିଡ଼ ରୋଗୀ ମାନଙ୍କୁ ସେମାନଙ୍କ ଘରେ ରହି ଚିକିତ୍ସିତ ହେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।

About the author

Leave a Reply

Your email address will not be published. Required fields are marked *