ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହେବ ‘କୋଭ୍ୟାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

Spread the love

କରୋନା ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବଶୀଘ୍ର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହେବ। ଏହି ସ୍ୱଦେଶୀ ଟିକାକୁ ଭାରତ ବାୟୋଟେକ୍ ଓ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ମିଳିତ ଭାବେ ପ୍ରସ୍ତୁତ କରିଛି। ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନିମନ୍ତେ ସେଣ୍ଟ୍ରାଲ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ପକ୍ଷରୁ ସ୍ୱୀକୃତି ମିଳିଛି। ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟ ମାନବ ପରୀକ୍ଷଣ ପ୍ରକ୍ରିୟା ସୁରକ୍ଷିତ ଭାବେ ଶେଷ ହୋଇସାରିଛି। ଏହି ପ୍ରକ୍ରିୟାରେ ଅନେକ ସଂଖ୍ୟାରେ ସ୍ୱେଚ୍ଛାସେବୀଙ୍କ ଶରୀରରେ ନୂତନ ଟିକାର ପରୀକ୍ଷଣ କରାଯିବ। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ଦେଶର ୨୧ଟି ମେଡିକାଲ୍ ଅନୁଷ୍ଠାନକୁ ଆଇସିଏମ୍‌ଆର୍ ପକ୍ଷରୁ ଚୟନ କରାଯାଇଥିବା ବେଳେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ମନୋନୀତ କରାଯାଇଛି। କରୋନା ମହାମାରୀର ପ୍ରଭାବ ଦେଶରେ ବଢ଼ି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଏହି ଟିକାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଂଚି ଥିବା କହିଛନ୍ତି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ତଥା ଏହି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ପ୍ରଫେସର ଇ. ଭେଙ୍କଟ ରାଓ।ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରିଭେନ୍‌ଟିଭ୍ ଆଣ୍ଡ ଥେରାପିଉଟିକ୍ କ୍ଲିନିକାଲ୍ ୟୁନିଟ୍‌ର ମୁଖ୍ୟ ଥିବା ପ୍ରଫେସର ରାଓ କହିଛନ୍ତି ଯେ ଏହି ତୃତୀୟ ପର୍ଯ୍ୟାୟରେ ବୟସ ସୀମା, ଯୋଗ୍ୟତା ଏବଂ ସ୍କ୍ରିନିଂ ପ୍ରକ୍ରିୟାକୁ କୋହଳ କରାଯିବ ଏବଂ ସୁସ୍ଥ ସ୍ୱେଚ୍ଛାସେବୀମାନେ ଏହି ପର୍ଯ୍ୟାୟ ନିମନ୍ତେ ଚୟନ କରାଯାଇପାରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନଙ୍କ ଶରୀରରେ ମଧ୍ୟ ଏହି ଟିକା ପ୍ରୟୋଗ କରାଯିବାର ଯୋଜନା ରହିଛି ବୋଲି ପ୍ରଫେସର ରାଓ କହିଛନ୍ତି। ଟିକା ପ୍ରୟୋଗ କରାଯାଇଥିବା ସ୍ୱେଚ୍ଛାସେବୀମାନଙ୍କ ଠାରେ କୋଭାକ୍ସିନ୍ ଟିକାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏହି ପରୀକ୍ଷଣ ନିମନ୍ତେ ଅନେକ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିବା ସେ ଜଣାଇଛନ୍ତି।

ଇଚ୍ଛୁକ ସ୍ୱେଚ୍ଛାସେବୀମାନେ www.ptctu.soa.ac ୱେବ୍‌ସାଇଟ୍‌ରେ ରେଜିଷ୍ଟ୍ରେସନ୍ କରିପାରିବେ।

About the author

Leave a Reply

Your email address will not be published. Required fields are marked *