ମୁମ୍ବଇ : ଡିଜାଇନର ଅନ୍ବୟ ନାଏକ ଓ ତାଙ୍କ ମା’ କୁମୁଦଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ ହୋଇଥିବା ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ବମ୍ବେ ହାଇକୋର୍ଟ ଗୁରୁବାର ମନା କରିଛନ୍ତି। ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁକ୍ରବାର ହାଇକୋଟ ପୁନର୍ବାର ଶୁଣାଣି କରିବେ। ୨୦୧୮ ମସିହାର ଏକ ପୁରୁଣା ମାମଲାରେ ଅର୍ଣ୍ଣବଙ୍କୁ ମୁମ୍ବଇ ପୁଲିସ ବୁଧବାର ସକାଳେ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଦିଆଯାଇଛି। ଅର୍ଣ୍ଣବଙ୍କ ସହିତ ଅନୁରୂପ ଅଭିଯୋଗରେ ଆଉ ଦୁଇ ଜଣ ଫିରୋଜ ଶେଖ ଓ ନିତେଶ ସରଦା ମଧ୍ୟ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି।
ତେବେ ଅର୍ଣ୍ଣବ ଗୁରୁବାର ଅନ୍ତରୀଣ ଜାମିନ ନିମନ୍ତେ ଆବେଦନ କରିଥିଲେ। ଆବେଦନ ଉପରେ ବିଚାରପତି ଏସଏସ ସିନ୍ଦେ ଓ ଏମଏସ୍ କର୍ଣ୍ଣିକାଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଗୁରୁବାର ଶୁଣାଣି କରିଥିବାବେଳେ ମୁକ୍ତି ନିମନ୍ତେ କୌଣସି ନିର୍ଦେଶ ଦେଇନାହାନ୍ତି। ପୀଠ କହିଛନ୍ତି ଯେ ମାମଲାର ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅନ୍ତରୀଣ ଜାମିନ ଆବେଦନ ସମ୍ପର୍କରେ ରାୟ ଶୁଣାଯିବ। ତେଣୁ ଶୁକ୍ରବାର ଅପରାହ୍ଣ ୩ଟାରେ ଏହା ଉପରେ ପରବର୍ତ୍ତୀ ଶୁଣାଣି ନିମନ୍ତେ ହାଇକୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ଅନ୍ୟପକ୍ଷ ମଧ୍ୟରେ ରହିଛନ୍ତି ଆତ୍ମହତ୍ୟା କରିଥିବା ଡିଜାଇନର ଅନ୍ବୟ ନାଏକଙ୍କ ପତ୍ନୀ ଅକ୍ଷତା ନାଏକ ଓ ମହାରାଷ୍ଟ୍ର ସରକାର। ଅର୍ଣ୍ଣବଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଓ ଆବାଦ ପୋଣ୍ଡା ହାଇକୋର୍ଟରେ ପକ୍ଷ ରଖିଥିଲେ। ହାଇକୋର୍ଟରେ ଅନ୍ତରୀଣ ଜାମିନ ପୂର୍ବରୁ ଅଲିବାଗ କୋର୍ଟରେ ହୋଇଥିବା ଜାମିନ ଆବେଦନକୁ ପ୍ରତ୍ୟାହାର କରିଅଣାଯାଇଥିଲା। ଅନ୍ତରୀଣ ଜାମିନ ସହିତ ୨୦୧୮ର ମାମଲାକୁ ନେଇ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ ସହିତ ତଦନ୍ତ ବନ୍ଦ କରିବା ଲାଗି ଅର୍ଣ୍ଣବ ନଭେମ୍ବର ୨ରେ ଆବେଦନ କରିଥିଲେ।