ନୂଆଦିଲ୍ଲୀ : ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରୁ ଅବସର ନେବା ପରେ ଏବେ ମହେନ୍ଦ୍ର ସିଂହ ଧୋନୀ ନିଜ ସହର ରାଞ୍ଚିରେ ଝାବୁଆର କଡକନାଥ କୁକୁଡାର ଫାର୍ମ କରିବେ। ଏଥିଲାଗି ଧୋନୀ ମଧ୍ୟ ପ୍ରଦେଶ ଅନ୍ତର୍ଗତ ଝାବୁଆର କଡକନାଥର ୨ ହଜାର କୁକୁଡା ଚିଆଁ ପାଇଁ ଅଗ୍ରୀମ ଟଙ୍କା ଦେବା ସହ ଝାବୁଆର ଆଦିବାସୀ ଚାଷୀଙ୍କୁ ଅର୍ଡର ମଧ୍ୟ ଦେଇଛନ୍ତି।
କ୍ୟାପଟେନ୍ କୁଲ୍ ତଥା ବରିଷ୍ଠ କ୍ରିକେଟ୍ ଖେଳାଳି ମହେନ୍ଦ୍ର ସିଂହ ଧୋନୀ ଖୁବ୍ ଶୀଘ୍ର ନିଜର ଗୃହ ନଗର ରାଞ୍ଚିରେ ମଧ୍ୟ ପ୍ରଦେଶର ଝାବୁଆର କଡକନାଥ କୁକୁଡା ବିକ୍ରି କରିବେ। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରୁ ଅବସର ନେଇଥିବା ଧୋନୀ ଜୈବିକ ଖେତି ସହିତ କଡକନାଥ କୁକୁଡାର ଫାର୍ମିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏଥିପାଇଁ ରାଞ୍ଚିରେ ନିଜର ଭେଟନାରୀ କଲେଜର ପ୍ରୋଫେସର ବନ୍ଧୁଙ୍କ ଜରିଆରେ ମଧ୍ୟ ପ୍ରଦେଶର ଝାବୁଆ ଆଦିବାସୀ କୃଷକ ବିନୋଦ ମେଡାକୁ ଅଗ୍ରୀମ ଟଙ୍କା ଦେବା ସହ ୨ ହଜାର କୁକୁଡା ଚିଆଁ ଡିସେମ୍ବର ୧୫ ସୁଦ୍ଧା ଦେବାକୁ ଅର୍ଡର ଦେଇଛନ୍ତି।
ଏହି ଅର୍ଡର ପାଇ ଝାବୁଆର ଆଦିବାସୀ କୃଷକ ବିନୋଦ ବହୁତ ଖୁସି ପ୍ରକାଶ କରିଛନ୍ତି। ସେ ଆଶା କରିଛନ୍ତି ଯେ, ଯେବେ ସେ କଡକନାଥ କୁକୁଡା ଚିଆଁ ଦେବାକୁ ରାଞ୍ଚି ଯିବେ ସେହି ସମୟରେ ଧୋନୀଙ୍କ ପରି ବ୍ୟକ୍ତିଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିବ। ସୂଚନାଯୋଗ୍ୟ, କଡକନାଥ କୁକୁଡା ମଧ୍ୟ ପ୍ରଦେଶର ଝାବୁଆର ପରିଚୟ। ଏହା ଝାବୁଆର କଡକନାଥ ଭାବେ ଭାରତ ସରକାରଙ୍କ ପକ୍ଷରୁ ଜିଆଇ ଟ୍ୟାଗ୍ ମଧ୍ୟ ମିଳି ସାରିଛି। ଏହି କୁକୁଡାର ରଙ୍ଗ କଳା, ରକ୍ତ କଳା, ହାଡ କଳା ଏବଂ ଏହାର ମାଂସ ମଧ୍ୟ କଳା। ଏହି କୁକୁଡାର ମାଂସ ଖାଇଲେ ମୋଟାପଣ ଏବଂ କୋଲେଷ୍ଟ୍ରାଲ ଦୂର ହୋଇଥାଏ।