କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଘର ଭାଙ୍ଗିବା ଘଟଣାରେ ଆସନ୍ତା ୨୬ରେ ରାୟ ପ୍ରକାଶ କରିବେ ବମ୍ବେ ହାଇକୋର୍ଟ

Spread the love

ମୁମ୍ବାଇ : ବ୍ରିହାନମୁମ୍ବାଇ ମହାନଗର ନିଗମ (ବିଏମସି) ସେପ୍ଟେମ୍ବର ୯ ରେ ବାନ୍ଦ୍ରାରେ ଥିବା  କଙ୍ଗନା ରଣାଓ୍ବତଙ୍କ ଘରକୁ ବେଆଇନ ଦର୍ଶାଇ ଭାଙ୍ଗିଥିଲା । ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ବମ୍ବେ ହାଇକୋର୍ଟ ଏହି ଉଚ୍ଛେଦ ଉପରେ ରହିତାଦେଶ ଦେଇଥିଲେ । ନଭେମ୍ବର ୨୬ ତାରିଖରେ ଏହି ମାମଲାର ରାୟ ଶୁଣାଇବେ ବମ୍ବେ ହାଇକୋର୍ଟ । ମହାରାଷ୍ଟ୍ର ସରକାର ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପୂର୍ବରୁ ଟାର୍ଗେଟ କରିଥିବା କଙ୍ଗନା ଏହି ଉଚ୍ଛେଦ ମାମଲାରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହିତ ତୁଳନା କରିବା ପରେ କଙ୍ଗନା ରଣାଓ୍ବତ ଶିବସେନାର ଟାର୍ଗେଟ ହୋଇଯାଇଥିଲେ । ଏହି ମନ୍ତବ୍ୟ ପରେ ଚିହିକି ଉଠିଥିଲା ମୁମ୍ବାଇ ପ୍ରଶାସନ । ବୁଲଡୋଜର ଲଗାଇ କଙ୍ଗନା ରଣାଓ୍ବତଙ୍କ ବାନ୍ଦ୍ରାସ୍ଥିତ ମଣି କର୍ଣ୍ଣିକା ଷ୍ଟୁଡିଓକୁ ଭାଙ୍ଗିଥିଲା ବିଏମସି । ଏହାର କିଛି ଘଣ୍ଟା ମଧ୍ୟରେ ଘର ଭଙ୍ଗାକୁ ନେଇ ରହିତାଦେଶ ଦେଇଥିଲେ ହାଇକୋର୍ଟ । କିଛି ଦିନ ପୂର୍ବରୁ କଙ୍ଗନା ଆଉ ଏକ ଅଭିଯୋଗ ଆଣିଥିଲେ । ବିଏମ୍‌ସିକୁ ତାଙ୍କ ଘର ଭଙ୍ଗାରୁଜା ମାମଲାରେ ଓକିଲଙ୍କ ଦେୟ ଦେବାକୁ ସାଧାରଣ ଲୋକଙ୍କ ଟଙ୍କା ଖର୍ଚ୍ଚ କରିଥିବା କହିଥିଲେ । ସେ କହିଥିଲେ ଯେ, ବିଏମସି ତାଙ୍କ ବିରୋଧରେ ହୋଇଥିବା ମାମଲା ଲଢିବାକୁ ଓକିଲ ବାବଦ ପ୍ରାୟ ୮୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଲେଣି ଯାହାକି ସାଧାରଣ ଜନତାଙ୍କ ଟଙ୍କା । କଙ୍ଗନା ରଣାଓ୍ବତ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହିତ ତୁଳନା କରିବା ପରେ ଆରମ୍ଭ ହୋଇଯାଇଥିଲା ଟ୍ବିଟର ଯୁଦ୍ଧ । ଗୋଟିଏ ପଟେ କଙ୍ଗନା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରିଥିବା ବେଳେ ଅନ୍ୟ ପଟେ ବଲିଉଡର ଏକ ଗୋଷ୍ଠୀ ସେମାନଙ୍କୁ ଦର୍ପଣ ଦେଖାଇବାକୁ ଚେଷ୍ଟା କରୁଥିଲା । ସମସ୍ତେ କଙ୍ଗନା ମୁମ୍ବାଇକୁ ଅପମାନିତ କରିଥିବା ଅଭିଯୋଗ କରୁଥିଲେ । ତେବେ ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନାଙ୍କୁ ଖୋଲାଖୋଲି ଧମକ ଦେଇ କହିଥିଲେ ଯେ, କଙ୍ଗନା ମୁମ୍ବାଇ ଫେରିବା ଉଚିତ୍ ନୁହେଁ। ତେବେ ଏହାକୁ ଚ୍ୟାଲେଞ୍ଜ କରି କଙ୍ଗନା ମୁମ୍ବାଇ ଆସିବାକୁ କହିଥିଲେ ।  ଏହା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡା ସୁରକ୍ଷାବଳୟ ଭିତରେ ମୁମ୍ବାଇ ଆସିଥିଲେ କଙ୍ଗନା ରଣାଓ୍ବତ । ତେବେ ତାଙ୍କ ବଙ୍ଗଳା ଭଙ୍ଗା ଘଟଣାର ଶୁଣାଣି ଶେଷ କରିଛନ୍ତି ବମ୍ବେ ହାଇକୋର୍ଟ ଏବଂ ଆସନ୍ତା ନଭେମ୍ବର ୨୬ ତାରିଖରେ ଏହାର ରାୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

About the author

Leave a Reply

Your email address will not be published. Required fields are marked *