ଜୋହନ୍ସବର୍ଗ : କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ଆତଙ୍କ ରଚିଛି। ସଂକ୍ରମଣରେ ଅନେକ ନାମୀ ଦାମୀ ଲୋକେ ପ୍ରାଣହରାଇଛନ୍ତି। ଏଥିରେ ଏବେ ମହାତ୍ମା ଗାନ୍ଧିଙ୍କ ପୈତ୍ର ସତୀଶ ଧୂପେଲିଆଙ୍କ ନାମ ଯୋଡ଼ି ହୋଇଯାଇଛି। ୬୬ ବର୍ଷ ବୟସ୍କ ସତୀଶ ୩ଦିନ ପୂର୍ବରୁ ଜନ୍ମଦିନ ପାଳନ କରିଥିଲେ। ସତୀଶଙ୍କ ପରଲୋକ ସମ୍ପର୍କରେ ତାଙ୍କ ଭଉଣୀ ଉମା ଧୂପେଲିଆ ମେସ୍ଥରୀ ସୂଚନା ଦେଇଛନ୍ତି। ସତୀଶ ପ୍ରଥମେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ଏଥିଲାଗି ସେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ କୋଭିଡ-୧୯ ସଂକ୍ରମିତ ହୋଇଥିଲେ। କୋଭିଡ ଜନିତ ଜଟିଳତା କାରଣରୁ ରବିବାର ତାଙ୍କର ହୃଦଘାତରେ ପରଲୋକ ହୋଇଛି। ସତୀଶଙ୍କ ପରିବାରରେ ତାଙ୍କର ଦୁଇ ଭଉଣୀ ଉମା ଓ କିର୍ତ୍ତୀ ମେନନ ଅଛନ୍ତି। ଏହି ୩ ଭାଇ ଭଉଣୀ ମୋହନଦାସ କରମଚାନ୍ଦ ଗାନ୍ଧିଙ୍କ ପୁତ୍ର ମଣିଲାଲ ଗାନ୍ଧୀଙ୍କ ସନ୍ତାନ। ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକା ଛାଡି ଭାରତ ଆସିବା କାଳରେ ମଣିଲାଲଙ୍କୁ ତାଙ୍କ କାମ ସାରି ଆସିବାକୁ ସେଠାରେ ଛାଡି ଆସିଥିଲେ। ମଣିଲାଲ ଓ ତାଙ୍କ ପରିବାର ଦେଶ ସ୍ୱାଧୀନ ହେବା ପରେ ବି ଦକ୍ଷିଣ ଆଫ୍ରିକା ଛାଡି ନଥିଲେ କି ଭାରତ ଆସିନଥିଲେ। ସତୀଶ ପେଷାରେ ଜଣେ ଭିଡିଓ ଗ୍ରାଫର ଓ ଜୀବନର ଅଧିକାଂଶ ସମୟ ସେ ଗଣମାଧ୍ୟମ କର୍ମଚାରୀ ଭାବେ କଟାଇଛନ୍ତି। ଏହା ଛଡା ସେ ଅନେକ ସାମାଜିକ ସଂସ୍ଥା ସହ ମଧ୍ୟ ଜଡ଼ିତ ଥିଲେ। ସେ ସବୁ ସମୂଦାୟ ସମେତ ଆବଶ୍ୟକ କରୁଥିବା ଲୋକଙ୍କ ସହୟାତା ନିମନ୍ତେ ସର୍ବଦା ଆଗରେ ରହୁଥିଲେ। ଏଣୁ ତାଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି।
About the author
Related Posts

October 23, 2020
ପ୍ରଭାସ୍ @ ୪୧

