ଟୋକିଓ : ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଅଲିମ୍ପିକରେ ଭାରତକୁ ତୃତୀୟ ପଦକ ଦେଇଛନ୍ତି। ସିନ୍ଧୁ ଚୀନ ଖେଳାଳିଙ୍କୁ ହରାଇ କାଂସ୍ୟ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକରେ ଭାରତ ଏ ପର୍ଯ୍ୟନ୍ତ ୨ଟି ପଦକ ଜିତି ସାରିଥିବା ବେଳେ ଆଉ ଗୋଟିଏ ପଦକ ନିଶ୍ଚିତ ହୋଇ ସାରିଛି। ପ୍ରଥମେ ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ। ପରେ ମହିଳା ବକ୍ସର ଲଭଲିନା ବୋରଗୋହେନ ମଧ୍ୟ ସେମି ଫାଇନାଲରେ ପ୍ରବେଶ କରି ପଦକ ସୁନିଶ୍ଚିତ କରି ସାରିଛନ୍ତି। ଏହା ପୂର୍ବରୁ ରିଓ ଅଲିମ୍ପିକରେ ଭାରତକୁ ୨ଟି ପଦକ ମିଳିଥିଲା। ଅର୍ଥାତ ଭାରତ ପଦକ ମାମଲାରେ ରିଓକୁ ପଛରେ ପକାଇଛି।
ସିନ୍ଧୁ ବ୍ରୋଞ୍ଚ ପଦକ ମ୍ୟାଚ୍ରେ ଚୀନର ଜିଆଓ ବିଙ୍ଗଙ୍କୁ ୨୧-୧୩, ୨୧-୧୫ ସିଧାସଳଖ ଗେମରେ ହରାଇଛନ୍ତି। ଏହା ୧୨୫ ବର୍ଷର ଅଲିମ୍ପିକ ଇତିହାସରେ ଭାରତୀୟ ମହିଳା ଦମଦାର ପ୍ରଦର୍ଶନ କରିଛନ୍ତି। ଏହା ପୂର୍ବରୁ କେବେ ବି ଭାରତର ୩ ମହିଳା ଖେଳାଳି ଗୋଟିଏ ଅଲିମ୍ପିକରେ ପଦକ ଜିତି ପାରିନଥିଲେ। ପୂର୍ବରୁ ଦୁଇ ଥର ୨-୨ ମେଡାଲ ଜିତିଥିଲେ।