ସମ୍ବଲପୁର ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

Spread the love

ସମ୍ବଲପୁର : ଆସନ୍ତା ୩ ତାରିଖ (ମଙ୍ଗଳବାର) ଠାରୁ ଭକ୍ତଙ୍କୁ ମାଁ ସମଲେଶ୍ବରୀଙ୍କ ପ୍ରତ୍ୟକ୍ଷ ଦର୍ଶନ ମିଳିବ। ମାଁଙ୍କ ମନ୍ଦିର ସମେତ ସମ୍ବଲପୁର ଜିଲ୍ଲାରେ ଭକ୍ତଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନର ଦ୍ବାର ଖୋଲିବ। ତେବେ ବିଶୋଧନ ଓ ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ସୋମବାର ଧର୍ମାନୁଷ୍ଠାନ ଗୁଡ଼ିକ ଭକ୍ତଙ୍କ ପାଇଁ ବନ୍ଦ ରହିବ।

ସେହିପରି ଭିଡ଼ ନିୟନ୍ତ୍ରଣ ଓ ଶୃଂଖଳା ରକ୍ଷା ପାଇଁ ମାଁ ସମଲେଶ୍ବରୀ ମନ୍ଦିର କମିଟି ପକ୍ଷରୁ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ଜାରି ହୋଇଛି। ଭକ୍ତଙ୍କ ପାଇଁ ମନ୍ଦିର ସକାଳ ୬ଟାରୁ ଦିନ ୧୧ଟା ୩୦ ଓ ଅପରାହ୍‌ଣ ୩ଟାରୁ ସଂଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ରବିବାର ଜିଲ୍ଲା ପ୍ରଶାସନ, ବିଭିନ୍ନ ଧର୍ମାନୁଷ୍ଠାନର ପ୍ରତିନିଧି, ସହରର ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନଙ୍କ ବୈଠକରେ ଏ ସଂପର୍କରେ ସର୍ବସମ୍ମତ ନିଷ୍ପତ୍ତି ହୋଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଧର୍ମାନୁଷ୍ଠାନ ଖୋଲିବା ତଥା ଭକ୍ତମାନେ ଧର୍ମାନୁଷ୍ଠାନକୁ ଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଏସ୍‌ଓପି ଜାରି କରା ଯାଇଛି। ଜଟିଳ ବ୍ୟାଧିଗ୍ରସ୍ତ, ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ବୟସ୍କ ତଥା ଗର୍ଭବତୀଙ୍କୁ ଧର୍ମାନୁଷ୍ଠାନକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଏସ୍‌ଓପି ଅନୁଯାୟୀ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଥିବା କୌଣସି ଧର୍ମାନୁଷ୍ଠାନ ଖୋଲିବ ନାହିଁ।  ଲୋକେ ଗୋଟିଏ ପ୍ରବେଶ ପଥ ଦେଇ ଧର୍ମାନୁଷ୍ଠାନରେ ପ୍ରବେଶ କରି ଗୋଟିଏ ପ୍ରସ୍ଥାନ ପଥରେ ବାହାରି ଯିବେ। ଅନ୍ୟ ସମସ୍ତ ଦ୍ବାର ବନ୍ଦ ରହିବ। ଭକ୍ତଙ୍କ ପାଇଁ ମାସ୍କ ପିନ୍ଧିବା, ୬ ଫୁଟ୍‌ ଦୂରତା ରକ୍ଷା କରିବା, ହାତ ବିଶୋଧନ କରିବା ବାଧ୍ୟତାମୂଳକ ହେବ। ପ୍ରବେଶ ପଥରେ ତାପମାତ୍ରା ପରୀକ୍ଷା ହେବ। ପ୍ରତ୍ୟେକ ଧର୍ମାନୁଷ୍ଠାନ ପ୍ରବେଶ ପଥରେ ଲୋକଙ୍କୁ ଧାଡ଼ିରେ ଛିଡ଼ା ହେବା ପାଇଁ ୬ ଫୁଟ୍‌ ଦୂରତାରେ ଚିହ୍ନ କରାଯିବ। ପୂଜକ ମାନଙ୍କ ନିୟମିତ ଡାକ୍ତରୀ ପରୀକ୍ଷା ହେବ। କୌଣସି ଲକ୍ଷଣ ନଥିବା ବ୍ୟକ୍ତିକୁ ହିଁ ଧର୍ମାନୁଷ୍ଠାନକୁ ପ୍ରବେଶ ଅନୁମତି ମିଳିବ।

About the author

Leave a Reply

Your email address will not be published. Required fields are marked *