ପୁରୀ/କୋଣାର୍କ : କରୋନା କଟକଣା ମଧ୍ୟରେ ସୋମବାର ଠାରୁ ଖୋଲିଛି କୋଣାର୍କ ମନ୍ଦିର । ତେବେ ମନ୍ଦିର ଖୋଲିବା ମାତ୍ରେ ଦେଖାଦେଇଛି ଅଶାନ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୋଣାର୍କ ଫଟୋଗ୍ରାଫର ଆସୋସିଏସନର କର୍ମକର୍ତାମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂର୍ଯ୍ୟ ମନ୍ଦିର ଭିତରକୁ ଫଟୋଗ୍ରାଫରଙ୍କୁ ପ୍ରବେଶରକୁ ଅନୁମତି ନ ଦିଆଯିବା ପ୍ରତିବାଦରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି।
ମିଳିଥିବା ସୂଚନା ମୁତାବକ, କୋଭିଡର ଦ୍ବିତୀୟ ଲହର ପାଇଁ ଅପ୍ରେଲ ମାସ ୧୫ ତାରିଖଠାରୁ ବନ୍ଦ ଥିବା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସୋମବାର ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ଦୀର୍ଘ ଦିନ ଧରି ବନ୍ଦ ଥିବା ସୂର୍ଯ୍ୟ ମନ୍ଦିର ସୋମବାର ସକାଳ ୬ଟାରେ ପ୍ରଥମେ ମୁଖ୍ୟ ଫାଟକ ଖୋଲିବା ପରେ ଦେଖିବାକୁ ମିଳିଥିଲା ପର୍ଯ୍ୟଟକଙ୍କ ଗହଳି। ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ଟିକେଟ କରିବା ଅନିବାର୍ଯ୍ୟ ଥିବା ବେଳେ, ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ୍ କରି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।ମନ୍ଦିରରେ ପ୍ରବେଶ ସମୟରେ କରୋନା କଟକଣାକୁ ମାନିବା ନିହାତ ଆବଶ୍ୟକ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯେପରି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ମନ୍ଦିରରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ ଜରୁରୀ ଅଟେ ।