October 6, 2024

ଇସ୍ତଫା ଦେଲେ ନବୀନ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ୫ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୨୦୨୪ ନିର୍ବାଚନରେ ପରାସ୍ତ ହେବା ପରେ ଆଜି ଏହି ଦାୟିତ୍ୱରୁ ସେ ବିଦାୟ ନେଇଛନ୍ତି ।

ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ସାଢେ୧୧ଟାରେ ନବୀନ ନିବାସରୁ ବାହାରି ରାଜଭବନ ଅଭିମୁଖେ ବାହାରିଥିଲେ। ସେଠାରେ ସେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ହିଞ୍ଜିଳି ଓ କଣ୍ଟାବାଞ୍ଝିରୁ ମଇଦାନକୁ ଓହ୍ଲାଇଥିବା ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଝି ଆସନରେ ଜନମତ ହାସଲ କରିବାରେ ସମର୍ଥ ହୋଇ ପାରି ନାହାନ୍ତି।

ତେବେ ଚଳିତ ନିର୍ବାଚନରେ ବଡ ପରାଜୟର ସାମ୍ନା କରିଛି ବିଜେଡି । ୨୦୧୯ରେ ୧୧୩ ଆସନ ଜିତିଥିବା ବିଜେଡି ୨୦୨୪ ନିର୍ବାଚନରେ ମାତ୍ର ୫୧ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି । ଏହାସହ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା ଆଶାରେ ରହିଯାଇଛି । ୭୮ ଆସନରେ ବିଜୟ ସହ ବିଜେପି ବହୁମତ ପାଇଥିବା ବେଳେ ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ୨୦୦୦ ମସିହାରୁ ଲଗାତାର ମୁଖ୍ୟମନ୍ତ୍ରୀ ହୋଇ ଆସୁଥିଲେ ନବୀନ । ତେବେ ୨୦୨୪ ମସିହାରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।
୨୪ ବର୍ଷ ସୁଚାରୂ ରୂପରେ ତୁଲାଇଥିବା ଏକ ବଡ଼ ଦାୟିତ୍ୱରୁ ଇସ୍ତଫା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଓଡ଼ିଶାରେ ଗଠନ ହେବ ଏକ ନୂଆ ସରକାର । ତେବେ ଏହାପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା । ଅନେକ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା କରୁଥିବାବେଳେ ଆହୁରି ଅନେକ ଏହାକୁ ନେଇ କିଛି ବି ଆକଳନ କରିପାରୁନାହାଁନ୍ତି । କାରଣ ଏହା ଉପରେ ଅନ୍ୟ ରାଜ୍ୟ ମାନଙ୍କର ନଜିର ରହିଛି । ଯେଉଁମାନଙ୍କୁ ନେଇ ସରକାର ଗଢିବାର ଚର୍ଚ୍ଚା ହୁଏ ତାଙ୍କୁ ବାଦ ଦେଇ ବେଳେବେଳେ ନୂଆ ମୁହଁକୁ ଦେଖିବାକୁ ମିଳିଛି ତେଣୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ପତ୍ର ଦେବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋରଧରିଛି ।

Leave a Reply

Your email address will not be published. Required fields are marked *