ବାଲେଶ୍ଵର ମେଡିକାଲରୁ ନବଜାତ ଶିଶୁପୁତ୍ର ଚୋରି। ପୋଲିଓ ଦେବା ବାହାନାରେ ଆସି ଶିଶୁପୁତ୍ରକୁ ନେଇ ଚମ୍ପଟ ମାରିଥିଲା ମହିଳା। ସିସି କ୍ୟାମେରା ଫୁଟେଜ଼୍ ତଦନ୍ତ ପରେ ଉଦ୍ଧାର ହେଲା ନବଜାତ। ମେଡିକାଲର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ନବଜାତ ଶିଶୁ ପୁତ୍ର ଉଦ୍ଧାର। ଜଳେଶ୍ୱର ଅଞ୍ଚଳରୁ ଜଣଙ୍କ ଘରୁ ଉଦ୍ଧାର କରିଛି ପୁଲିସ। ଶିଶୁ ପୁତ୍ରକୁ ଚୋରି କରିଥିବା ଘଟଣାରେ ପୁଲିସ ଜଣେ ମହିଳାଙ୍କ ସମେତ ଆଶା କର୍ମୀଙ୍କୁ ଅଟକ ରଖିଛି। ଉଦ୍ଧାର ହୋଇଥିବା ଶିଶୁପୁତ୍ରକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରୁ ଶିଶୁପୁତ୍ରକୁ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା।ବାଲିଆପାଳ କୁଲାଚଡ ଗାଁର ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନିତା ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଅନିତାଙ୍କ ସହ ତାଙ୍କ ଶାଶୁ ଓ ଆଶା କର୍ମୀ ଆସିଥିଲେ। ଡାକ୍ତରଖାନାରେ ଜଣେ ଅଜଣା ମହିଳା ଆସି ପିଲାଟିକୁ ଧରାଧରି କରିବା ସହ ଆଶା କର୍ମୀ ସହ କଥା ହୋଇଥିଲେ ସେହି ମହିଳା ଜଣଙ୍କ ଆଶା କର୍ମୀଙ୍କ ସହିତ ହିଁ ଆସିଥିଲେ। ଅନିତା ଶାଶୁ ଓ ଆଶା କର୍ମୀ ନଥିବା ସମୟରେ ସେହି ଅଜଣା ମହିଳା ଜଣଙ୍କ ପୋଲିଓ ଦେବା ବାହାନାରେ ଆସି ଶିଶୁପୁତ୍ରକୁ ନେଇଯାଇଥିଲା। ପରେ ପିଲାଟିକୁ ନେଇ ଚମ୍ପଟ ମାରିଥିଲା। ପୁଅ ଫେରିବା ରେ ବିଳମ୍ବ ହେବାରୁ ଅନିତା ବ୍ୟସ୍ତ ହୋଇପଡ଼ିବା ସହ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁପୁତ୍ର ଟିକୁ ପାଇନଥିଲେ।ଏନେଇ ଶିଶୁଟିର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନବଜାତ ଶିଶୁପୁତ୍ରକୁ ଖୋଜାଖୋଜି କରିବା ପାଇଁ ଖୋଳତାଡ଼ ଆରମ୍ଭ କରିଥିଲା।
ସିସି କ୍ୟାମେରା ଫୁଟେଜ଼୍ ତଦନ୍ତ ପରେ ନବଜାତ ଶିଶୁ ପୁତ୍ର କୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଜଳେଶ୍ୱର ଅଞ୍ଚଳରୁ ଜଣେ ମହିଳା ନିକଟରୁ ଶିଶୁପୁତ୍ରକୁ ଉଦ୍ଧାର କରିଥିଲା।ନବଜାତଶିଶୁର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ଘଟଣାର ତଦନ୍ତ କରିବା ସହ ଉକ୍ତ ମହିଳା ଓ ଆଶାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ୨ ମାସ ତଳେ ମଧ୍ୟ ବାଲେଶ୍ୱର ମେଡିକାଲରୁ ନବଜାତକୁ ଚୋରି କରିନିଆଯାଇଥିଲା। ଏହି ଘଟଣା ପରେ ମେଡିକାଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।