ଆମ ରାଜ୍ୟ ଓଡ଼ିଶାରେ ବର୍ଷକ ବାର ମାସରେ ପାଳନ ହୁଏ ୧୩ ବଡ ପର୍ବ। ଆଉ ଏହି ବଡ ପର୍ବ ମଧ୍ୟରୁ ରଜ ହେଉଛି ଓଡ଼ିଆଙ୍କ ପାଇଁ ଲୋକପ୍ରିୟ ପର୍ବ। ତେବେ ଆଜିଠାରୁ ଆରମ୍ଭ ହେଉଛି ପହିଲି ରଜ। କହିବାକୁ ଗଲେ ଏହା ଭାରତର ଓଡିଶାରେ ତିନି ଦିନିଆ ନାରୀତ୍ତ୍ୱର ପର୍ବ ଅଟେ। ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି, ତୃତୀୟ ଦିନ ଭୂମି ଦହନ ବା ବାସି ରଜ ଓ ଚତୁର୍ଥ ଦିନକୁ ବସୁମତୀ ସ୍ନାନ ବା ଭୂମି ଆନୁଷ୍ଠାନିକ ସ୍ନାନ ଭାବେ ପାଳନ କରାଯାଏ । ତେବେ ଏହି ଦିନ ଠାରୁ ହିଁ ଆରମ୍ଭ ହୁଏ ବର୍ଷା ଋତୁ। ବିଶ୍ୱାସ କରାଯାଏ ଯେ ପୃଥିବୀ ଦେବୀ ଭୂମି ମାତା ଏହି ଦିନରେ ରଜସ୍ୱଳା ହୋଇଥାନ୍ତି। ସେଥିପାଇଁ ଏହି ପର୍ବକୁ ଆମ ଓଡ଼ିଶାରେ ଖୁବ୍ ଧୁମ୍ ଧାମରେ ପାଳନ କରାଯାଏ। ତେବେ ଆମ ରଜ ପର୍ବରେ କୁଆଁରୀ ଝିଅମାନେ ସଜବାଜ ହୋଇ, ଖାସକରି ପୋଡ଼ ପିଠା ଖାଇଥାନ୍ତି। ଦୋଳି ଖେଳିବା ସହ ରଜରେ ରଜ ପାନ ଖାଇଥାନ୍ତି। ଏହି ରଜ ପର୍ବ ଅବସରରେ କୌଣସି ଝିଅ ଘରର କିଛି ବି କାମ କରନ୍ତି ନାହିଁ। ଖାସ କରି ଝିଅ ମାନଙ୍କ ପାଇଁ ହିଁ ଏହି ରଜ ପର୍ବ। ସାଙ୍ଗ ସାଥିଙ୍କ ସହ ମିଶି ଏହି ଦିନକୁ ଝିଅମାନେ ଖୁବ୍ ଆନନ୍ଦରେ ପାଳନ କରନ୍ତି।
ଖାଲି ସେତିକି ନୁହେଁ ଲୋକ ମୁଖରେ ବୋଲାଯାଉଥିବା ରଜ ଗୀତର ବି ଖାସ୍ ମାନ୍ୟତା ରହିଛି। ଏହି ଗୀତ ପରବର୍ତ୍ତୀ ସମୟରେ ଲିପିବଦ୍ଧ ହୋଇଥିଲା। ତେବେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଧୁମ୍ ଧାମରେ ରଜ ପର୍ବ ପାଳନ ହେଉଛି।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଅନେକ ଗାଁରୁ ସହର ସବୁଠି ପାଳନ ହେଉଛି ରଜ।
ଆଜି ଦେଖିବାକୁ ମିଳିଛି କୁନି କୁନି ଝିଅ ମାନେ ସକାଳୁ ଉଠି ସଜବାଜ ହୋଇ ଆଜି ପ୍ରଥମରେ ଦୋଳି ପୂଜା ଅର୍ଚ୍ଚନା କରି ଧୁମ୍ ଧାମରେ ରଜ ପାଳନ କରୁଛନ୍ତି। ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ବିଲୁପଦର ମୁଣ୍ଡାସାହିରେ ଏଠାକାର କୁନି ଝିଅ ମିଶି ସକାଳୁ ସକାଳୁ ଅଳତା ମାଖି ସଜବାଜ ହୋଇ ଦୋଳି ପୂଜା କରି ବହୁ ଆଡ଼ମ୍ବର ସହକାରେ ରଜ ପର୍ବ ପାଳନ କରୁଛନ୍ତି।
ପ୍ରଥମ ଦିନରେ ପୁଚି,ନାଚ,ଦୋଉଡି ଡିଆଁ,ଭଳି ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏଥିରେ ଆସିଥିବା ମୁଖ୍ୟ ଅତିଥି ଭାବେ ବିଲୁପଦର ଉଆଡ୍ ମେମ୍ବର ମିଥିଲା ରାଜକୁମାର କହଁର ଉପସ୍ଥିତ ରହି ଦୋଳି ଉଦ୍ ଘାଟନ କରିଥିବା ବେଳେ ୩ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ରହିଛି।