
ନାଳ ପାଣିରେ ଗାଧେଇବା ହେଲା କାଳ। ପାଣିରେ ବୁଡ଼ି ନାବାଳକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। କନୂଆଗାଁରେ ଥିବା ଏକ ନାଳକୁ ଗାଧେଇ ଯାଇ ନାଳ ଘାଟିରେ ବସବାସ କରୁଥିବା ଭାସ୍କର ସାହୁଙ୍କ ନାବାଳକ ୧୪ ବର୍ଷୀୟ ପୁଅ ରାହୁଲ କୁମାର ସାହୁ ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି। ତେବେ ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଆଜି ପ୍ରତିଦିନ ଭଳି ସାଙ୍ଗସାଥୀ ହୋଇ ଆମ୍ବ ଖାଲିଆ ନାଳକୁ ରାହୁଲ ଗାଧେଇ ଯାଇଥିଲା। ଅସାବଧାନତାରୁ ଗଭୀର ପାଣିରେ ଗୋଡ଼ ଖସି ଯାଇଥିବାରୁ ଫେରି ପାରି ନଥିଲା। ସାଙ୍ଗ ମାନେ ଘରେ ସୂଚନା ଦେବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରି ନପାଇ ସାରଙ୍ଗ ଗଡ଼ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର ହାବିଲଦାର ପଦ୍ମ ଲୋଚନ ଗୌଡ ଓ ମନ ମୋହନ ପ୍ରଧାନ,ଫାଏର ମ୍ୟାନ ରମାକାନ୍ତ ପଣ୍ଡା, ଜଗନ୍ନାଥ ବିଶ୍ଵାଳ ଓ ଅପୂର୍ବ ଶବର ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ପରେ ନାବାଳକ ରାହୁଲକୁ ପାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କନୂଆଗାଁ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ପଠାଇ ଥିବା ଜଣାପଡିଛି। ଏପଟେ ଉକ୍ତ ପରିବାର ଅତି ଗରିବ ଶ୍ରେଣୀୟ ହୋଇ ଥିବା ଯୋଗୁଁ ବଜାର ପକ୍ଷରୁ ଶୋକ ବ୍ୟକ୍ତ କରି ଶୋକ ସନ୍ତପ୍ତ ପରିବାରକୁ ଅନ୍ତିମ ସଂସ୍କାରର ସମସ୍ତ ଖର୍ଚ୍ଚ ସହାୟତା ପ୍ରଦାନ କରିଥିବା ବେଳେ ସରକାରୀ ସାହାଯ୍ୟ ସହଯୋଗ ପାଇଁ ସାଧାରଣରେ କହିଛନ୍ତି।