September 1, 2024

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ସ୍ୱତନ୍ତ୍ର ଓଡ଼ିଶା ନିର୍ମାଣରେ ମଧୁ ବାବୁଙ୍କ ରହିଥିଲା ପ୍ରମୁଖ ଭୂମିକା। ୧୮୪୮ ମସିହା ଏପ୍ରିଲ୍ ୨୮ ତାରିଖରେ ସେ କଟକର ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିଲେ। ଥ୪ଧ ପିତା ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ ପୁଅ ମଧୁସୂଦନଙ୍କ ପ୍ରଥମ ନାମ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାମକୁ ବଦଳାଇ ମଧୁସୂଦନ ରଖିଥିଲେ । ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ । ଚାଟଶାଳୀ ପଢ଼ା ଶେଷ କରି ୧୩ ବର୍ଷ ବୟସରେ ସେ କଟକ ଗଲେ ଓ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ । ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ ମଧୁସୂଦନ ଦାସ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
। ଗଣିତ ଓ ଭୂଗୋଳରେ ତାଙ୍କର ଭଲ ଦଖଲ ଥିଲା । ନିଜର ଗୁଣ ଓ କର୍ମନିଷ୍ଠା ବଳରେ ସେ କଲିକତାର ଶ୍ରୀରାମପୁର କଲେଜରେ ଅଧ୍ୟାପକ ଭାବରେ ନିଯୁକ୍ତ ହେଲେ । ଛାତ୍ର ଛାତ୍ରୀମାନଙ୍କର ଅତି ପ୍ରିୟ ମଧୁବାବୁ ଇତି ମଧ୍ୟରେ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏଲ୍. ପାସ କରି ସାରିଥିଲେ । ନିଜ ପେଟପାଟଣା ପାଇଁ ଅନେକ ଓଡ଼ିଆ କଲିକତାରେ ଚାକିରି କରୁଥିଲେ । ସେମାନଙ୍କର ଶିକ୍ଷାଗତ ଉନ୍ନତି ପାଇଁ ମଧୁବାବୁ କଲିକତାରେ ନୈଶ ବିଦ୍ୟାଳୟ ସ୍ଥାପନା କରାଇଥିଲେ । ଓକିଲ ହେବାପରେ ମଧୁବାବୁ ପ୍ରଥମେ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ । ଜଣେ ଲେଖକ ଓ କବି ଭାବରେ ସେ ଅନେକ ଦେଶାତ୍ମବୋଧକ ଲେଖା ଲେଖିଛନ୍ତି । ସେ ଓଡ଼ିଆ ଓ ଇଂରାଜୀରେ ଅନେକ ଉପାଦେୟ ଲେଖା ଲେଖିଯାଇଛନ୍ତି । ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି, “ଉତ୍କଳ ସନ୍ତାନ”, “ଜାତି ଇତିହାସ”, “ଜ୍ଞାନୀର ଉକ୍ତି”, “ଜାତୀୟ ଗୀତିକା” । ସେ ମଧ୍ୟ ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଜଣେ ସୁବକ୍ତା ଥିଲେ ।

Leave a Reply

Your email address will not be published. Required fields are marked *